ବ୍ୟାସକବି ଫକୀରମୋହନ ସେନାପତି

ଓଡ଼ିଆ କଥା ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟ ଇତିହାସରେ ଜଣେ ସାରସତ୍ଵ ସାଧକ। କାବ୍ୟଶିଳ୍ପୀ ଭାବରେ ସେ ଓଡ଼ିଆ ସାହିତ୍ୟରେ, ତାଙ୍କର ଅମର ସ୍ଵାକ୍ଷର ରଖିଯାଇଛନ୍ତି। ତାଙ୍କ ଦ୍ଵାରା ରଚିତ ‘ଲଛମନିଆ’ କ୍ଷୁଦ୍ରଗଳ୍ପ ଓଡ଼ିଆ ସାହିତ୍ୟରେ କାହିଁକି ସମଗ୍ର ଭାରତୀୟ କଥା ସାହିତ୍ୟରେ ପ୍ରଥମ କ୍ଷୁଦ୍ରଗଳ୍ପର ମାନ୍ୟତା ରଖେ। ତାଙ୍କ ଦ୍ଵାରା ଲିଖିତ ଗଳ୍ପ ‘ରେବତୀ’ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ଭାବରେ ସ୍ଵୀକୃତ। ଓଡ଼ିଆ ଭାଷାର ବିଲୋପ ପାଇଁ ଓଡ଼ିଆ ଭାଷା-ବିଦ୍ଵେଷୀମାନଙ୍କର କୂଟଚକ୍ରାନ୍ତକୁ ପଣ୍ଡ କରି ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ କଳ୍ପେ ସ୍ୱାଭିମାନୀ ଫକୀରମୋହନଙ୍କ ସାଧୁପ୍ରଚେଷ୍ଟା ଏକ ସମୟୋପଯୋଗୀ ଗୁରୁତ୍ୱପୂର୍ଣ୍ଣ ସାହସିକ ପଦକ୍ଷେପ। ତାଙ୍କରଏତାଦୃଶ ଅମୂଲ୍ୟ ଅବଦାନ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛି। ଫକୀରମୋହନଙ୍କ ଜାତି ପ୍ରୀତି ଅତ୍ୟନ୍ତ ବିରଳ ଓ ଅବିସ୍ମରଣୀୟ।

ଫକୀରମୋହନ ମୁଖ୍ୟତଃ ଜଣେ ମାନବଧର୍ମୀ ତଥା ସମାଜ ସଚେତକ ସାରସତ୍ଵ ଶିଳ୍ପୀ। ମଧ୍ୟବିତ୍ତ ସମାଜର ଜୀବନ ଆଲେଖ୍ୟ ବହନ କରି ଅଭିନବ ଚରିତ୍ର ଚିତ୍ରଣ କୌଶଳରେ ତାଙ୍କର କଥା ସାହିତ୍ୟ ହୋଇଛି ପ୍ରାଣସ୍ପର୍ଶୀ ଓ କାଳଜୟୀ। ‘ଛ’ ମାଣ ଆଠଗୁଣ୍ଠ’, ‘ଲଛମା’, ‘ମାମୁ’ ଏବଂ ‘ପ୍ରାୟଶ୍ଚିତ’ ଆଦି ବାସ୍ତବଧର୍ମୀ ସାମାଜିକ ଉପନ୍ୟାସଗୁଡିକ ତାଙ୍କର କାଳଜୟୀ ସୃଷ୍ଟି। ବିପୁଳ ଓ ବହୁବିଧ ଅନୁଭୂତିସ୍ନିଗ୍ଧ ତାଙ୍କର ଆତ୍ମଜୀବନ ରଚିତ ସମଗ୍ର ଭାରତୀୟ ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି। ତତ୍କାଳୀନ ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଜୀବନର ଏହା ଏକ ଜୀବନ୍ତ ଇତିହାସ। ଓଡ଼ିଆ ଭାଷାର ଉନ୍ନତି କଳ୍ପେ ସେ ବାଲେଶ୍ଵରଠାରେ ଏକ ଛପାଖାନା ସ୍ଥାପନ କରି ପାକ୍ଷିକ ସାହିତ୍ୟପତ୍ର ‘ବୋଧଦାୟିନୀ’ ଓ ସମ୍ବାଦପତ୍ର ‘ସମ୍ବାଦବାହିକା’ ପ୍ରକାଶ କରିଥିଲେ, ଯାହା ତାଙ୍କର ଅକ୍ଳାନ୍ତ ପରିଶ୍ରମ, ପ୍ରାଣପାତ ଉଦ୍ୟମ, ଗଭୀର ଆତ୍ମବିଶ୍ଵାସ, ଜାତିପ୍ରୀତି ଓ କର୍ତ୍ତବ୍ୟନିଷ୍ଠାର ସୁସ୍ପଷ୍ଟ ପରିଚୟ। ସଂସ୍କୃତ ରାମାୟଣ, ମହାଭାରତ ଓ ଉପନିଷଦର ଓଡ଼ିଆ ଭାଷାରେ କାଳଜୟୀ ଅନୁବାଦ ଏବଂ ଅଜସ୍ର କାବ୍ୟ ସୃଷ୍ଟି ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରି ସେ ବ୍ୟାସକବି ରୂପେ ସୁଖ୍ୟାତ। ୧୯୧୬ ମସିହାରେ ବାମଣ୍ଡାର ‘ସୁରତରଙ୍ଗିଣୀ ସାରସ୍ଵତ ସମିତି’ ତରଫରୁ ସେ ‘ସରସ୍ଵତୀ’ ଉପାଧିରେ ଭୂଷିତ।

ଏହି ଅସାଧାରଣ ପ୍ରତିଭାଧର ଓଡ଼ିଆ ଜାତିର ଚିରନମସ୍ୟ ଓ ପ୍ରାତଃସ୍ମରଣୀୟ। ସେହି ମହାମାନବଙ୍କ ନାମରେ ଏକ ଛାତ୍ରବୃତ୍ତି ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ପ୍ରଣୟନ କରାଯାଇଅଛି।